‘ମୁଁ ହାରିଗଲି ମୋ ଟଙ୍କା ଫେରାଅ, ନହେଲେ…’ ନିର୍ବାଚନ ହାରିବା ପରେ ଟଙ୍କା ମାଗିବାକୁ ଯାଇ ହଟହଟା ହେଲେ ସରପଂଚ ପ୍ରାର୍ଥିନୀଙ୍କ ସ୍ୱାମୀ, ଭାଇରାଲ ହେଲା Video…

ନମସ୍କାର ବନ୍ଧୁଗଣ ତେବେ ସରି ଯାଇଛି ପଞ୍ଚାୟତ ନିର୍ବାଚନ । ଫଳାଫଳ ବି ବାହାରି ସାରିଛି । ଗଣତି ପରେ ଫେଲ ମାରିଛି ଅନେକ ପ୍ରାର୍ଥୀଙ୍କ ଗଣିତ । ଜିତିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ପ୍ରାର୍ଥୀ । କାହାକୁ ମଦ ମାଂସ ତ ପୁଣି କାହାକୁ ଦିଆଯାଇଥିଲା ଟଙ୍କା । ଏପରିକି ବିଭିନ୍ନ ସଂଗଠନ ଓ କ୍ରିକେଟ ଟିମକୁ ବି ଟଙ୍କା ଦେଇ ଭୋଟ ହାତେଇବାର ଆଶା ବାନ୍ଧିଥିଲେ ପ୍ରାର୍ଥୀ । ଏହି ପନ୍ଥା ଅନେକ ପ୍ରାର୍ଥୀ ଆପଣାଇ ଥିଲେ ।

ତେବେ ହେଲେ ସବୁ ପ୍ରାର୍ଥୀଙ୍କଠାରୁ ଲୋକେ ଟଙ୍କା ନେଇଥିଲେ ବି ଜଣଙ୍କୁ ହିଁ ଦେଇପାରିବେ ଭୋଟ । ଆଉ ନିର୍ବାଚନରେ ମଇଦାନରେ ଜଣେ ହିଁ ପିନ୍ଧିବ ରାଜମୁକୁଟ । ଅନ୍ୟ ସବୁ ପ୍ରାର୍ଥୀ ପରାଜୟକୁ ବରଣ କରିବେ । ଏହାସହ ଯାହା ସବୁ ଟଙ୍କା ଖର୍ଚ୍ଚ କରିଥିବେ, ସେସବୁ ପାଣିରେ ପଡ଼ିଲା ବୋଲି ଭାବି ନେବେ । ଏମିତି ହିଁ ସାଧାରଣତଃ ହୋଇଥାଏ ବୋଲି ସମସ୍ତଙ୍କର ଧାରଣା ଥାଏ ।

ତେବେ କିନ୍ତୁ ଆମେ ଆପଣଙ୍କୁ ଏବେ ଯେଉଁ ଖବର ଦେବୁ, ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ପ୍ରାର୍ଥୀ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ । ଗାଁ କୋଠରୁ ଆରମ୍ଭ କରି ଘର ଘର ବୁଲି ଟଙ୍କା ବି ବାଣ୍ଟିଥିଲେ  । କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ, କ୍ଲବ୍‌ ଘରକୁ ବି ଟଙ୍କା ଦେଇଥିଲେ ।  ହେଲେ ଶେଷରେ ତାଙ୍କୁ ନିର୍ବାଚନରେ ମିଳିଥିଲା ଧୋକା । ନିର୍ବାଚନ ରଣାଙ୍ଗନରେ ସେ ପରାଜୟ ବରଣ କରିଥିଲେ ।

ଏହାପରେ ସତେ ଯେମିତି ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପରାଜୟକୁ ସହଜରେ ସ୍ୱୀକାର କରି ପାରିନଥିଲେ ପ୍ରାର୍ଥୀ ଜଣକ । ଏତେ ଟଙ୍କା ଖର୍ଚ୍ଚ କରିଥିବାରୁ ବିଚଳିତ ହୋଇ ପଡ଼ିଥିଲେ । ଆଉ ତାପରେ ସେ ଆରମ୍ଭ କରିଛନ୍ତି ଅସୁଲି ରାଜନୀତି । ଯେଉଁମାନେ ଭୋଟ ଦେବେ କହି ଟଙ୍କା ନେଇଥିଲେ ସେମାନଙ୍କୁ ଏବେ ଟଙ୍କା ଫେରସ୍ତ ମାଗୁଛନ୍ତି ପ୍ରାର୍ଥୀଙ୍କ ସ୍ୱାମୀ ।

ଘର ଘର ବୁଲି ଯେମିତି ଟଙ୍କା ବାଣ୍ଟିଥିଲେ ଠିକ୍‌ ସେମିତି ନିର୍ବାଚନ ହାରିବା ପରେ କ୍ଲବ୍‌, କୋଠ ଘର, କ୍ରିକେଟ୍‌ ଟିମ୍‌ଠାରୁ ବି ଟଙ୍କା ଫେରସ୍ତ ଆଣୁଛନ୍ତି । ଏଭଳି ଟଙ୍କା ଆଦାୟ ପାଇଁ ଯାଇଥିବା ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ହଟହଟା ହେବାକୁ ପଡ଼ିଛି । ଟଙ୍କା ଫେରସ୍ତ ମାଗୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହି ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉପରଝର ପଂଚାୟତର ବୋଲି ସୂଚନା ରହିଛି । ପରାଜିତ ସରପଂଚ ପ୍ରାର୍ଥୀନୀ କମଳିନୀ ପଟେଲଙ୍କ ସ୍ୱାମୀ ରାଜୀବ ପଟେଲ ।

ମତଦାନ ଆଗରୁ ନୂଆପାଲି ଗାଁ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅତିଥି ହୋଇଥିଲେ ରାଜୀବ ଏବଂ ତାଙ୍କ ପତ୍ନୀ କମଳିନୀ । ଭୋଟ ଦେବା ପାଇଁ କ୍ରିକେଟ ଟିମକୁ ପାଂଚ ହଜାର ଟଙ୍କା ଦେଇଥିଲେ । କିନ୍ତୁ ନିର୍ବାଚନରେ ପରାଜିତ ହେବା ପରେ ନୂଆପାଲି ଗାଁକୁ ଯାଇ କ୍ରିକେଟ ଟିମକୁ ଟଙ୍କା ଫେରସ୍ତ ମାଗିଥିଲେ ରାଜୀବ ପଟେଲ । ତେବେ ଏଥିପାଇଁ ରାଜୀବଙ୍କୁ ବହୁତ ହଟହଟା ହେବାକୁ ମଧ୍ୟ ପଡ଼ିଥିଲା । ଶେଷରେ କ୍ରିକେଟ୍‌ ଟିମ୍‌ ଟଙ୍କା ମଧ୍ୟ ଫେରାଇଥିଲା ।

ଖାଲି ଟଙ୍କା ଫେରାଇ ନଥିଲା, ବରଂ ଅପମାନ ଦେବା ଭଳି ଆଉ ଶହେ ଟଙ୍କା ଅଧିକ ମିଶାଇ, ୫ ହଜାର ଏକଶହ ଟଙ୍କା ଫେରାଇଥିଲା ଟିମ୍‌ । ଆଉ ଟିମ୍‌ ପକ୍ଷରୁ ପ୍ରାର୍ଥୀଙ୍କ ସ୍ୱାମୀକୁ ତାତ୍ସଲ୍ୟ କରି କୁହାଯାଇଥିଲା, ଏହି ଶହେ ଟଙ୍କା ଆପଣଙ୍କର ବାଟ ଖର୍ଚ୍ଚ । ଏତେ ବାଟ ଆସିଲେ ଗାଡ଼ିରେ ତେଲ ପୋଡ଼ିଥିବ । ଏହି ଶହେ ଟଙ୍କାରେ ତେଲ ପକାଇ ଦେବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *