ନମସ୍କାର ବନ୍ଧୁଗଣ ତେବେ ବାଣପୁର ବ୍ଲକ ଆଗରେ ଚିଲିକା ଏମ୍ଏଲ୍ଏଙ୍କ ଅମାନବୀୟ କାଣ୍ଡକୁ ନେଇ ସାଂଘାତିକ ରାଜନୈତିକ ଆକ୍ରମଣ ହୋଇଛି । ଏଭଳି ଲୋକର ସ୍ଥାନ କେବଳ ଜେଲ୍ରେ ବୋଲି କହିଛି ବିଜେପି । ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି- ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଘଟାଇଥିବା କାଣ୍ଡ କୌଣସି ସୁସ୍ଥ ମସ୍ତିଷ୍କ ଥିବା ବ୍ୟକ୍ତିର ହୋଇପାରେନା । ବିଧାୟକ ମଦ ପିଇ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଛନ୍ତି ।
ସରକାର ତାଙ୍କ ବିରୋଧରେ ଅତ୍ୟନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦରକାର । ତେବେ ସେହିପରି ଜଗଦେବଙ୍କୁ ଗିରଫ କରି ଜେଲ୍ ପଠାଇବାକୁ ୪୮ ଘଣ୍ଟାର ମହଲତ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେପଟେ ଆଜିର ଘଟଣା ରାଜ୍ୟରେ ଆଇନ ଶୃଙ୍ଖଳାର ଦୁସ୍ଥିତିକୁ ଦର୍ଶାଉଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଅଭିଯୋଗ ଆଣିବା ସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ବି ସିଧା ଟାର୍ଗେଟ୍ କରିଛନ୍ତି ।
ତେବେ ସେପଟେ ବିଜେଡି ବି ଏହି ଘଟଣାରେ ବିଧାୟକଙ୍କଠୁ ଦୂରେଇ ଯାଇଛି । ବାଣପୁରର ଏହି ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ । ପୋଲିସ ପ୍ରଶାସନ ଦୃଢ଼ତାର ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର । ସାମ୍ବାଦିକ ସମ୍ମିଳନୀ କରି ସସ୍ମିତ୍ ବିଧାୟକଙ୍କ ଏଭଳି ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ତାଙ୍କ ଦଳ ବି ତୀବ୍ର ନିନ୍ଦା କରୁଥିବା କହିଛନ୍ତି ।
ଅତୀତରେ ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବନ କରା ଯାଇଥିଲା, ଆଗକୁ ବି ଉଚିତ ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି ସସ୍ମିତ୍ । ତେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗିରି ନୂଆ ନୁହେଁ । ପୂର୍ବରୁ ଅନେକ ଥର ନିଜ କାରନାମାକୁ ନେଇ ବିବାଦରେ ରହିଛନ୍ତି ଏହି ଜନ ପ୍ରତିନିଧି ।
ଜୁଲାଇ ୨୦୧୬ରେ ବୌଦ୍ଦ ଜିଲ୍ଲା ମନମୁଣ୍ଡାରେ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରୁଥିବା ବେଳେ ଗାଡିରୁ ଓହ୍ଲାଇ ସେମାନଙ୍କୁ ନିସ୍ତୁକ ପିଟିଥିଲେ । ଜଗଦ୍ଦେବ ସେହିବର୍ଷ ଅର୍ଥାତ୍ ନଭେମ୍ବର ୨୦୧୬ରେ ବୋଲଗଡ ତହସିଲଦାରଙ୍କ ଉପରକୁ କିରାସିନି ଲଣ୍ଠନ ଫୋପାଡି ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ଆସିଥିଲା । ତେବେ ପରେ ୨୦୧୮ ଡିସେମ୍ବରରେ ବେଗୁନିଆର ପୂର୍ବତନ ସରପଞ୍ଚଙ୍କୁ ବ୍ଲକ୍ ଅଫିସରେ ସରକାରୀ ଅଫିସରଙ୍କ ଉପସ୍ଥିତିରେ ଧମକ ଦେଇଥିଲେ ।
ଅଗଷ୍ଟ ୨୦୨୦ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଜଣେ କନିଷ୍ଠଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ବି କରିଥିଲେ ବାହୁବଳୀ ବିଧାୟକ । ସେହିପରି ସେପ୍ଟେମ୍ବର ୨୦୨୧ରେ ବିଜେପି ବାଲୁଗାଁ ମଣ୍ଡଳ ଅଧ୍ୟକ୍ଷ ନିରଞ୍ଜନ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇ ଜେଲ୍ ଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ତେବେ ବିଧାୟକଙ୍କ ଏହି ଦାଦାଗିରି ଘଟଣାରେ ଗତବର୍ଷ ସେପ୍ଟେମ୍ବର ୯ରେ ତାଙ୍କୁ ବିଜେଡିରୁ ନିଲମ୍ବନ ସହ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ବି ବିଦା କରିଥିଲେ ମୁଖ୍ୟମନ୍ତ୍ରୀ ।
ତା’ ସତ୍ତ୍ୱେ ଗତ ମାସ ୧୧ ତାରିଖରେ ବନ୍ଧୁକ ମୁନରେ ଜଣେ ବ୍ୟକ୍ତିଙ୍କୁ ଧମକାଉଥିବାର ଭିଡିଓ ବି ଭାଇରାଲ୍ ହୋଇଥିଲା । ଏସବୁ ଘଟଣାର ବହୁ ପୂର୍ବରୁ ଭୁବନେଶ୍ୱର ଏମ୍ଏଲ୍ଏ କଲୋନୀ ରେ ଜଣେ ବ୍ୟବସାୟୀଙ୍କୁ ଧମକ ସହ ଗାଳିଗୁଲଜ ଏବଂ ଖୋର୍ଦ୍ଧାରେ ବିଜେଡି ରାଲି ବେଳେ ଜଣେ କର୍ମୀଙ୍କୁ ମାଡ଼ମାରିବା ଅଭିଯୋଗ ନେଇ ବି ବିବାଦରେ ରହିଥିଲେ ବିଧାୟକ ଜଗଦ୍ଦେବ । ତେବେ ଆଜିର ଘଟଣା ସବୁ ସୀମା ଟପି ଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।