ବର୍ଷ ୧୯୪୮ ମସିହାରେ ସ୍ଥାନ କଟକ ବାରବାଟୀ ଦୁର୍ଗ ପାଖ ପୋଲିସ ପଡିଆ । ଏକ ବିରାଟ ଫୁଟବଲ ମ୍ୟାଚର ଆୟୋଜନ ହୁଏ । ମୁଖ୍ୟ ଅତିଥି ଥାନ୍ତି ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହାତାବ । କଲିକତାର ଭବାନୀପୁର ଫୁଟବଲ କ୍ଲବ ଓ ଓଡିଶା ଇଲେଭେନ ଭିତରେ ଖେଳା ଯାଉଥିବା ଏହି ମ୍ୟାଚ ଦେଖିବାକୁ ଏତେ ଭିଡ ଜମେ ଯେ ଶେଷରେ ଭିଡ ନିୟନ୍ତ୍ରଣ କରିବାରେ ଅସମର୍ଥ ହୁଏ ପୋଲିସ ।
ଯିଏ ଯେଉଁଠି ପାରନ୍ତି ଧସେଇ ପଶି ଯାନ୍ତି ଆଉ ଖେଳ ଦେଖନ୍ତି । ସ୍ୱଳ୍ପ ଜାଗା ଓ ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ଦର୍ଶକ ଏବଂ ଖେଳାଳିଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଏହା ଦେଖି ସେଠାରେ ଏକ ବୃହତ ଷ୍ଟାଡିୟମ ସହ ଏକ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ବନେଇବାର ଘୋଷଣା କରନ୍ତି ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହାତାବ । ବାସ ଏଇଠୁ ହିଁ ବାରବାଟୀ ଷ୍ଟାଡିୟମ ନିର୍ମାଣ ଆରମ୍ଭ ହୋଇଥିଲା ।
ଆଜି କଟକର ଛାତି ଉପରେ ଦମ୍ଭର ସହ ଛିଡା ହୋଇ ଓଡିଶାର ଗୌରବମୟ ଇତିହାସକୁ ବଖାଣୁଛି ପୁରା ବିଶ୍ଵରେ ପରିଚିତ ବାରବାଟୀ ଷ୍ଟାଡିୟମ । ହେଲେ ଏହା ନିର୍ମାଣ ପଛର ଇତିହାସ କିନ୍ତୁ ବହୁତ କମ ଲୋକଙ୍କୁ ଜଣା ଅଛି । ସରକାରୀ କ୍ଵାଟର ହେବାକୁ ଥିବା ଜାଗାରେ ବିଶ୍ଵ ପ୍ରସିଦ୍ଧ ଷ୍ଟାଡିୟମ ହେବାର ଘଟଣା ଏତେ ବି ସହଜ ନଥିଲା ।୧୯୪୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସେହି ଦିନ ସରକାରୀ ସହାୟତାରେ ପ୍ରତିଶ୍ରୁତି ଦେଇଥିଲେ ଓଡିଶାର ତତ୍ କାଳୀନ ରାଜ୍ୟପାଳ ଆସବ ଭଲ୍ଲି ।
ହେଲେ ପରବର୍ତ୍ତୀ ସମୟରେ ସେ ତାଙ୍କ କଥାରୁ ଓହରି ଯାଇଥିଲେ । ସେହି ସମୟରେ ବାରବାଟୀ ଷ୍ଟାଡିୟମ ନିର୍ମାଣର ଦାୟିତ୍ଵ ବୁଝୁ ଥିଲେ ଜାତୀୟ ସ୍ତରରେ ଓଡିଶାର ଖେଳ ଓ ଖେଳାଳିଙ୍କୁ ପରିଚୟ ପ୍ରଦାନ କରିବାର ମହା ନାୟକ ତଥା ବାରବାଟୀ ନିର୍ମାଣର ମୁଖ୍ୟ ବିନ୍ଧାଳି ଏବଂ କିଶାନ ନଗରର ତତ୍ କାଳୀନ ବିଧାୟକ ଭୈରବ ଚନ୍ଦ୍ର ମହାନ୍ତି । କୁହାଯାଏ ସେଦିନ ସଭାରେ ସେହି ବଡ ଘୋଷଣା ପଛରେ ତାଙ୍କର ଏକ ବଡ ଅବଦାନ ରହିଛି ।
ହରେକୃଷ୍ଣ ମହତାବଙ୍କୁ ସେ କୁଆଡେ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରଥମ ପ୍ରସ୍ତାବ ଦେଇଥିଲେ । ଯେବେ ସରକାର ଷ୍ଟାଡିୟମ ନିର୍ମାଣ କଥା କହି ନିଜ କଥାରୁ ଓହରି ଗଲେ ସେ ସମୟରେ ବେସ ଭାଙ୍ଗି ପଡିଥିଲେ ଭୈରବ । ହେଲେ ସେ ହାର ମାନି ନଥିଲେ ଲୋକଙ୍କ ପାଇଁ ଗଢା ହେଉଥିବା ଷ୍ଟାଡିୟମ ପାଇଁ ଲୋକଙ୍କ ଠାରୁ ଟଙ୍କା ଆସୁ ବୋଲି ଚିନ୍ତା କରି ସେ ଯାହା ବି ପଦକ୍ଷେପ ନେଲେ ତାହା ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା ।
ଲଟରି ମଧ୍ୟରେ ଏକ ଟଙ୍କା ଲଖାଏଁ ଓଡିଶା ବାସୀଙ୍କ ଠାରୁ ଆଣିବାର ଲକ୍ଷ ଧାର୍ଯ୍ୟ ହେଲା । ସେ ସମୟରେ ଏ ଅଭିଯାନ ଓଡିଶାରେ ବେସ ଲୋକପ୍ରିୟତା ହାସଲ କରିଥିଲା । ଶେଷରେ ଲୋକଙ୍କ ଠାରୁ ଆସିଥିବା ସେହି ଟଙ୍କାରେ ନିର୍ମାଣ ହେଲା ବାରବାଟୀ ଷ୍ଟାଡିୟମ ।