ନମସ୍କାର ବନ୍ଧୁଗଣ ତେବେ ଚଳିତ ବର୍ଷର ସବୁଠାରୁ ବଡ଼ ବାତ୍ୟା ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗକୁ ମାଡ଼ି ଆସୁଛି । ଏହି ବାତ୍ୟା ଜାପାନର ଦକ୍ଷିଣପୂର୍ବ ଦ୍ୱୀପପୁଞ୍ଜ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି । ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହରଗୁଡ଼ିକ ପ୍ରତି ମଧ୍ୟ ବାତ୍ୟାର ବିପଦ ରହିଛି । ତେବେ ସାମୁଦ୍ରିକ ବାତ୍ୟା ବହୁତ ଶକ୍ତିଶାଳୀ ହୋଇଥାଏ । ଏହା ଉପକୂଳ ଅଞ୍ଚଳରେ ବହୁତ କ୍ଷୟକ୍ଷତି କରିଥାଏ ।
ଘର ଦ୍ୱାର ଗଛ ଲତା ଭାଙ୍ଗିଦେବା ସହ ସଭ୍ୟତା ର ବିକାଶର ମାନଚିତ୍ର ମଧ୍ୟ ବଦଳାଇଦିଏ । ଏହି ସୁପର ଟାଇଫୁନ ହିନ୍ନାମନୋର ପ୍ରଭାବରେ ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୨୫୭ କିମି ବା ୧୬୦ ମାଇଲ୍ସ ବେଗରେ ପବନ ବହିବାରେ ଲାଗିଛି । ଏହାର ଝଟକା ଘଣ୍ଟା ପ୍ରତି ୧୯୫ ମାଇଲ୍ସ ରହିଥିବା ଆମେରିକା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ହିନ୍ନାମନୋର ପ୍ରଭାରେ ସମୁଦ୍ର ଜୁଆର ୫୦ ଫୁଟ ବା ୧୫ ମିଟର ଉଚ୍ଚକୁ ଉଠିପାରେ । ଏହି ସୁପର ଟାଇଫୁନ ପ୍ରଭାବରେ ବହୁଥିବା ପବନକୁ ଦେଖି ଲୋକଙ୍କ ମନରେ ଛାନିଆ ପଶିଛି । ଲୋକଙ୍କ ଛାତି ଧଡ଼ଧଡ଼ ହେଉଥିବା ବେଳେ ଜାପାନ ମେଟ୍ରୋଲଜିକାଲ ଏଜେନ୍ସି ଏହାକୁ ୨୦୨୨ର ସବୁଠାରୁ ବଡ଼ ବାତ୍ୟାର ଆଖ୍ୟା ଦେଇଛି । ଯଦି ଏପରି ଅବସ୍ଥାରେ ବାତ୍ୟା ସ୍ଥଳ ଭାଗରେ ମାଡ଼ ହୁଏ, ତା’ହେଲେ ଭୟଙ୍କର କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି ।
ତେବେ ହଂକଂ ପାଣିପାଗ ବିଭାଗ କହିଛି ଯେ ଦିନ ୧୦ଟା ସୁଦ୍ଧା ଟାଇଫୁନଟି ଜାପାନର ଓକିନାୱ ଠାରୁ ୨୩୦ କିମି ଦୂରରେ କେନ୍ଦ୍ରଭୂତ ହୋଇଥିଲା । ଏହା ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଘଣ୍ଟାପ୍ରତି ୨୨ କିମି ବେଗରେ ରୟୁକୟୁ ଦ୍ୱୀପପୁଞ୍ଜ ମହାଁ ହେଉଛି । ତେବେ ସ୍ଥଳ ଭାଗ କେବେ ପହଞ୍ଚିବ ସେ ବିଷୟରେ କୁହାଯାଇନି । ଅନ୍ୟପକ୍ଷରେ ଆମେରିକା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର କହିଛି ଯେ ଏହି ସୁପର ଟାଇଫୁନ ଆଗାମୀ ଦିନରେ ସାମାନ୍ୟ ଦୁର୍ବଳ ହୋଇପାରେ ।
ତଥାପି ଏହାର ପ୍ରଭାବରେ ପବନର ଘଣ୍ଟାପ୍ରତି ବେଗ ୨୦୦ କିମି କିମ୍ବା ତା’ ଉପରେ ରହିବ । ଏହି ସୂଚନା ପରେ ଜାପାନ ସରକାର ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଏହା ସ୍ଥଳ ଭାଗର ନିକଟବର୍ତ୍ତୀ ହେଲେ ଉପକୂଳ ବାସୀଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।