ନମସ୍କାର ବନ୍ଧୁଗଣ ତେବେ ରୁଷ ଓ ୟୁକ୍ରେନ ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । ୟୁକ୍ରେନର ବିଭିନ୍ନ ସହରରେ ରୁଷର ବୋମା ଓ ମିସାଇଲ ଆକ୍ରମଣ ଜାରି ରହିଛି । ଏଥିସହ ରୁଷ ପକ୍ଷରୁ ଆଜି ୫ଟି ସହର ପାଇଁ ଯୁଦ୍ଧବିରତି ଘୋଷଣା କରାଯାଇଛି । ଏସବୁ ସହର ମଧ୍ୟରେ ରହିଛି ରାଜଧାନୀ କିଏଭ୍ ସମେତ ଖାରକିଭ୍, ମାରିଉପଲ, ସୁମି ଓ ଚର୍ନିହିବ । ଯାହାକି ଫସି ରହିଥିବା ଲୋକମାନଙ୍କୁ କିଛିଟା ଆଶ୍ୱସ୍ତି ଆଣି ଦେଇଛି ।
ତେବେ ରୁଷ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି କି ମସ୍କୋ ସମୟ ସକାଳ ୧୦ଟାରୁ ଏହି ଯୁଦ୍ଧବିରତି କାର୍ଯ୍ୟକାରୀ କରାଯିବ ଏବଂ ଏହା ୧୨ ଘଣ୍ଟା ବଳବତ୍ତର ରହିବ । ଯୁଦ୍ଧ ଯୋଗୁ ୟୁକ୍ରେନର ସର୍ବାଧିକ ପ୍ରଭାବିତ ଏହି ୫ଟି ସହରରେ ଫସିଥିବା ଲୋକମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବା ଲାଗି ମାନବୀୟ କରିଡର ପ୍ରତିଷ୍ଠା କରାଯାଇଛି । ଯାହାଫଳରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ।
ବିନା ବିଦ୍ୟୁତ, ପାଣି ଓ ଖାଦ୍ୟରେ ବିଭିନ୍ନ ସହରରେ ହଜାର ହଜାର ଲୋକ ଫସି ରହିଛନ୍ତି । ରୁଷର ଏହି ଘୋଷଣା ପରେ ମାରିଉପଲ, ସୁମି ଓ ଇରପିନ ସହରରୁ ଲୋକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୟୁକ୍ରେନ ସୈନ୍ୟମାନେ ବସ୍ ଓ ଟ୍ୟାକ୍ସି ଯୋଗେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ପଠାଉଛନ୍ତି । ତେବେ -୧୪ ଡିଗ୍ରି ସେଲ୍ସିୟସ ତାପମାତ୍ରା ଓ ପ୍ରବଳ ତୁଷାରଝଡ଼ ଯୋଗୁ ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଛି ।
ତଥାପି ବିଭିନ୍ନ ସହରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାତ୍ର ରୁଷର ଏହି ଯୁଦ୍ଧବିରତି ଘୋଷଣାକୁ ୟୁକ୍ରେନ ପ୍ରଚାର ସର୍ବସ୍ୱ ବୋଲି ବର୍ଣ୍ଣନା କରିଛି । ୟୁକ୍ରେନ କହିଛି ଗୋଟିଏ ପଟେ ରୁଷ ଯୁଦ୍ଧବିରତି କଥା କହୁଥିଲା ବେଳେ ଅନ୍ୟପଟେ ମାନବୀୟ କରିଡରରେ ବୋମାବର୍ଷଣ କରୁଛି । ଗତକାଲି ରୁଷ ୪ଟି ସହର ପାଇଁ ଯୁଦ୍ଧବିରତି ଘୋଷଣା କରିଥିଲା । ତେବେ ଏସବୁ ମାନବୀୟ କରିଡର ରୁଷ ଓ ତାର ସହଯୋଗୀ ରାଷ୍ଟ୍ର ବେଲାରୁସ୍କୁ ସଂଯୋଗ କରୁଥିବାରୁ ତାକୁ ୟୁକ୍ରେନ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।
ତେବେ ଯୁଦ୍ଧବିରତି ଘୋଷଣା ପୂର୍ବରୁ ରୁଷ ସୈନ୍ୟମାନେ ଗତକାଲି ରାତି ତମାମ ରାଜଧାନୀ କିଏଭ୍ ସମେତ ସୁମି, ଖାରକିଭ୍, ମାରିଉପଲ, ବୁକା, ଜ୍ୟୋଟମିର, ମିକୋଲେଭ, ଗୋଷ୍ଟମେଲ, ଚର୍ନିହିବ୍ ଆଦି ସହର ଉପରେ ପ୍ରଚଣ୍ଡ ବୋମା ଓ ଗୋଳା ବର୍ଷଣ କରିଛନ୍ତି । ବିଶେଷକରି ସେମାନେ ଅବାସିକ ଅଟ୍ଟାଳିକାକୁ ଟାର୍ଗେଟ କରିଛନ୍ତି । ଯାହାଫଳରେ ସୁମିର ଏକ ଆବାସିକ ଅଟ୍ଟାଳିକାରେ ୫୦୦ କି.ଗ୍ରାର ବୋମା ପଡିବାରୁ ୨ ଶିଶୁଙ୍କ ସମେତ ୨୧ ଜଣଙ୍କର ମୃତ୍ୟୁ ହୋଇଛି ।
ମିକୋଲେଭ ସହରରେ ଅନେକ କୋଠାକୁ ଟାର୍ଗେଟ କରି ଆକ୍ରମଣ ହୋଇଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୫ଜଣ ଆହତ ହୋଇଛନ୍ତି । ଖାରକିଭ୍ରେ ୨୭ଟି ଅଟ୍ଟାଳିକାକୁ ରୁଷ ସେନା ଟାର୍ଗେଟ କରିଥିଲେ । ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି । ଜ୍ୟୋଟମିରର ଏକ ତୈଳ ଡିପୋରେ ବୋମାମାଡ଼ ଯୋଗୁ ସେଥିରେ ନିଆଁ ଲାଗିଯାଇଛି । ବୁକାରେ ପ୍ରବଳ ଗୋଳା ମାଡ଼ ଯୋଗୁ ରାସ୍ତରେ ପଡ଼ିଥିବା ମୃତଦେହ ଆଣିବାକୁ ମଧ୍ୟ ଯିବା ସମ୍ଭବ ହୋଇନାହିଁ ।
ଖାରକିଭ୍ରେ ୟୁକ୍ରେନ ସେନା ସହ ସଂଘର୍ଷରେ ରୁଷର ବରିଷ୍ଠ ସେନା ଜେନେରାଲ ଭିଟାଲି ଜେରାସିମୋଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ ସେନା ଦାବି କରିଛି । ତେବେ ଆମେରିକା ସମଗ୍ର ବିଶ୍ୱର କାହା କଥା ଶୁଣୁ ନ ଥିବାରୁ ରୁଷ ଉପରେ ସର୍ବଦଳୀୟ ଅବରୋଧ କରିବାକୁ ଚେଷ୍ଟା କରୁଛି । ରୁଷ ଉପରେ ପୂର୍ବରୁ ଅନେକ ପ୍ରତିବନ୍ଧକ ଲଗାଇଥିବା ଆମେରିକା ବର୍ତ୍ତମାନ କଠୋର ପଦକ୍ଷେପ ନେଇଛି ଏବଂ ରୁଷର ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି ।
ରୁଷର ଅର୍ଥନୀତିକୁ ଝଟକା ଦେବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ରୁଷ ଉପରେ ଆହୁରି ଅନେକ କଟକଣା ଲାଗୁ କରିବାକୁ ଘୋଷଣା କରିଛନ୍ତି । ବାଇଡେନ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଆମେ ରୁଷରୁ ସମସ୍ତ ଗ୍ୟାସ, ତୈଳ ଏବଂ ଶକ୍ତି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଉଛୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।