ବାତ୍ୟା ଆସିବ ନା ଆସିବ ନାହିଁ ? ଦେଖନ୍ତୁ ଏନେଇ କଣ କହିଲା ପାଣିପାଗ ବିଭାଗ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସାଧାରଣତଃ ଅକ୍ଟୋବର ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଛନକା ପଶେ । ତେଣୁ ଚଳିତ ବର୍ଷ ବି ଦ୍ୱିତୀୟ ସପ୍ତାହରେ ଏକ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଫଳରେ ରାଜ୍ୟବାସୀଙ୍କୁ ବାତ୍ୟା ଭୟ ଘାରିଲାଣି । ହେଲେ ଏବେ ବାତ୍ୟା ଆସୁଥିବା ଖବରକୁ ଖଣ୍ଡନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନ ଥିବା ସ୍ପଷ୍ଟ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ । ଏନେଇ ସେ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇନି । କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଗତ ଗୁରୁବାର ଠାରୁ ସୂଚନା ଦିଆଯାଇଛି ।

ତେବେ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଥିବା ବେଳେ କେବେ ଓ କେଉଁଠି ସୃଷ୍ଟି ହେବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନି । ଏହାବାଦ ଘୂର୍ଣ୍ଣିବଳୟର ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ବି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇ ନାହିଁ । ସୂଚନାଯୋଗ୍ୟ, ଆସନ୍ତା ୨୨ରେ ସମ୍ଭାବ୍ୟ ବାତ୍ୟା ‘ସିତରଙ୍ଗ’ ଆସୁଥିବା ନେଇ ବିଭିନ୍ନ ମଡେଲ ଆଧାରରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହେଲେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

କେବଳ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ସୂଚନା ଦିଆଯାଇଛି । ହେଲେ ତାହାର ପ୍ରଭାବ ଓ ରୂପରେଖ କିପରି ରହିବ ୧୪ ପରେ ହିଁ ତାହାକୁ ଆକଳନ କରାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲଗାତର କିଛି ବର୍ଷ ହେବ ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ମାଡ଼ି ଆସୁଥିବାରୁ ରାଜ୍ୟ ସରକାର ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ପ୍ରତି ବର୍ଷ ପରି ଚଳିତ ବର୍ଷ ବି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ହେବାକୁ ଏହି ବୈଠକରେ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ଏସଓପି ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଓ ମାନବ ସମ୍ବଳ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ତେବେ ଅପରପକ୍ଷେ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨ ଦିନ ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଏହାବାଦ କିଛି ସ୍ଥାନରେ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲା ରହିଛି ।

ଏହାପରେ ୧୩ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବା ବେଳେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି ।

ଏପରି ଗୁଜବ ଯୋଗୁ ସାଧାରଣ ଲୋକେ ଭୟଭୀତ ହୋଇପଡ଼ୁଥିବା ବେଳେ ଏପରି ଗୁଜବରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସ୍ପଷ୍ଟ କରାଯାଇଛି ଯେ,ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରିହୋଇନାହିଁ । କୌଣସି ପାଣିପାଗ ଘଟଣା ସମ୍ବନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ତେଣୁ ଗୁଜବଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *